Unknown

କଳିଯୁଗେ ରବି ତଳେ

ଭକ୍ତ ମଧୁକର

 

କଳିଯୁଗେ ରବି ତଳେ ବିଜୟେ କରତା ।

କରୁଣା କଟାକ୍ଷେ ଭକ୍ତେ କରାଇଲେ ଚେତା ।

କ୍ଷମାନିଧି । କ୍ଷିତିମଧ୍ୟେ କଲେ ସର୍ବସିଦ୍ଧି ।୧।

ଗୋଲକ ବୈକୁଣ୍ଠ ନାଥ ଗରୁଡ଼ ଆସନ ।

ଗୁରୁ ବୁଦ୍ଧ ଅବତାର ପଚାରିଲେ ଜ୍ଞାନ ।

ଘୋଷ ମୁଖେ । ଘୋରସଂସାରୁ ତରିବ ସୁଖେ ।୨।

 

ଉଆଁସ ନିଶିରେ ଦେଖ ଉଇଁଅଛି ଚାନ୍ଦ ।

ଅଖଣ୍ଡିତ ବ୍ରହ୍ମ ସେ ଅନାଦି ଆଦିକନ୍ଦ ।

ଚେତି ଧର । ଚରଣୁ ବହୁଛି ସୁଧା ଧାର ।୩।

ଛଇଳ ନଟ ନାଗର ଅନନ୍ତ ମୂରତି ।

ଛପ୍ନାକୋଟି ଜୀବରେ ସେ ପୂରି ରହିଛନ୍ତି ।

ଜ୍ୟୋତିର୍ମୟ । ଯୋଗ ପଥେ କର ତାଙ୍କୁ ଲୟ ।୪।

 

ଝଳିରୂପ ବିରାଜନ୍ତି କି ଦେବି ଉପମା ।

ଝଳି ଶ୍ରୀମୁଖ ଦିଶଇ ଯେସନେ ଚନ୍ଦ୍ରମା ।

ଲକ୍ଷ ନାହିଁ । ନର ଅଙ୍ଗେ ବିଜେ ଭାବଗ୍ରାହୀ ।୫।

ଟାଣ ଶୂନ୍ୟ ବାନା ଉଦେ କରି ରବି ତଳେ ।

ଟେକିଛନ୍ତି ଚଉବାହା ଭକତଙ୍କ ଛଳେ ।

ଠିକେ ଧର । ଠକ ମଧୁ ସେ ପାଦେ କିଙ୍କର ।୬।

 

ଡୋଳେ ଦେଖ ବିଜୟେ ଅନାଦି ଜଗଦୀଶ ।

ଡର ଭୟ ଛାଡ଼ିପଦ୍ମପାଦେ କର ଆଶ ।

ଢଳିଯିବ । ଢାଉରଙ୍ଗ କେତେ କାଳ ଥିବ ।୭।

ଅଜପା ନିର୍ବେଦ ସାଧି ଅବନୀ ମଣ୍ଡଳେ ।

ଅଲେଖ ମହିମା ବ୍ରହ୍ମ ବିଜେ ରବି ତଳେ ।

ତତ୍ତ୍ୱ କର । ତ୍ରିଭୁବନ ତ୍ରୈଲୋକ୍ୟ ଠାକୁର ।୮।

 

ଥିତ ନୁହେଁ ଅଥିତ ଅରୂପ ଅନହତ ।

ଥାଏ ଯାର ନ ପାଇଲେ କେହି ଆଦି ଅନ୍ତ ।

ଦୂର ନୋହେ । ଦିବାନିଶି ଯା ଆଜ୍ଞାରେ ହୁଏ ।୯।

ଧରଣୀରେ ଧୂନି ସ୍ଥାପିଦେଲେ ଆଦିମୂଳ ।

ଧର ଧରବୋଲି ଧର୍ମ ଯାଚନ୍ତି ଅଖିଳ ।

ନିନ୍ଦା ସ୍ତୁତି । ନିଜ ଅଙ୍ଗେ ସର୍ବ ସହୁଛନ୍ତି ।୧୦।

 

ପରମ ପୁରୁଷ ସ୍ୱାମୀ ବୁଦ୍ଧ ଅବତାର ।

ପ୍ରତ୍ୟକ୍ଷରେ ଦେଖି ନେତ୍ରୁ ପାପ କର ଦୂର ।

ଫଣୀଧର । ଫୁରୁଣାରେ ସେବେ ଯା ପୟର ।୧୧।

ବ୍ରହ୍ମା ହରିହର ଯାର ଚରଣେ ସେବନ୍ତି ।

ବିଜେ କଲେ ଅବନୀକି ଅବଧୂତ ମୂର୍ତ୍ତି ।

ଭାଗ୍ୟ ବଳେ । ଭାବେ ମଧୁ ସେ ପାଦ କମଳେ ।୧୨।

 

ମହିମା ପ୍ରକାଶ କରି ଏ ମର୍ତ୍ତ୍ୟ ମଣ୍ଡଳେ ।

ମ୍ଳେଚ୍ଛ ପାପୀ ତାରି ଧର୍ମ ସ୍ଥାପିଲେ ଶୟଳେ ।

ଜୀବଦାତା । ଜନ୍ମ ଯୋଗୀ ଜଗତ କରତା ।୧୩।

ରୂପବନ୍ତ ନୁହେଁ ସେହି ଅରୂପ ବିହାରି ।

ରଖିଲେ କୀରତି ବ୍ରହ୍ମ ଧର୍ମକୁ ବିସ୍ତାରି ।

ଲୟ କର । ଲବଧା ଭକ୍ତିରୁ ଦୀକ୍ଷାସାର ।୧୪।

 

ବୁଦ୍ଧି ନ ଦିଶଇ ପଥ ବହୁତ ଦୁର୍ଗମ ।

ବାଞ୍ଛା କଳ୍ପତରୁ ମନ ବାଞ୍ଛା କର ପୂର୍ଣ୍ଣ ।

ଶ୍ରୀ ଆଜ୍ଞାରେ । ସତ୍ୟଧର୍ମ ସ୍ଥାପିଲେ ସଂସାରେ ।୧୫।

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର ତ୍ରଇଲୋକ ।

ଶରଣ ପାଦ କମଳେ ରଖ ବା ନ ରଖ ।

ଶୂନ୍ୟବାସୀ । ଶୋହତିରେ ଜୀବ ଗଲା ଭାସି ।୧୬।

 

ହା ଶବଦରେ ହଜି ଯାଉଅଛି ଜୀବ ।

ହୃଦେ ପଦ୍ମେ ଜାଣି ସ୍ୱାମୀ ଦୟା ରଖିଥିବ ।

କ୍ଷମା ସିନ୍ଧୁ । କ୍ଷମେ ଭଣେ ଅରକ୍ଷିତ ମଧୁ ।୧୭।